
ଗୋଲାମୁଣ୍ଡା: ( ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ଗଠନ ପରେ ଗୋଲାମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତୁଲେଶ୍ୱର ନାଏକଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଏହି ନିଯୁକ୍ତିକୁ ନେଇ ଜିଲ୍ଲା କଂଗ୍ରେସ ମହଲରେ ଆନନ୍ଦର ଲହରୀ ଦେଖାଦେଇଛି। ଶ୍ରୀ ନାଏକ ୨୦୦୨ ମସିହାରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ପରେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପୂର୍ବରୁ ସେ କଳାହାଣ୍ଡି ଲୋକସଭା ଯୁବ କଂଗ୍ରେସ ସଭାପତି ଏବଂ ଜିଲ୍ଲା କିସାନ କଂଗ୍ରେସ କମିଟିର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇ ସେ ଗଞ୍ଜାମ ଇଷ୍ଟ, ଗଞ୍ଜାମ ୱେଷ୍ଟ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ କଂଗ୍ରେସକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଛନ୍ତି। ଏହି ନିଯୁକ୍ତି ପରେ ଶ୍ରୀ ନାଏକ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, କେ.ସି. ବେନୁଗୋପାଳ, ଅଜୟ କୁମାର ଲଲ୍ଲୁ, ଭକ୍ତ ଚରଣ ଦାସ ଏବଂ ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। “ସମସ୍ତଙ୍କ ସହଯୋଗରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ମୋର ଏକମାତ୍ର ଲକ୍ଷ୍ୟ” ବୋଲି ଶ୍ରୀ ନାଏକ ପ୍ରକାଶ କରିଛନ୍ତି।