
କଲମପୁର:(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମ ପଞ୍ଚାୟତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ପ୍ରଶାସନର ତଦାରଖ ଓ ଦାୟିତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ସୂଚନା ଅନୁସାରେ, ଦେପୁର ପଞ୍ଚାୟତ ସଦର ମହକୁମାର ବେଳମତୀ ମାଝି, ଯିଏକି ଦୀର୍ଘ ଦିନ ତଳେ ମୃତ୍ୟୁବରଣ କରିସାରିଛନ୍ତି, ତାଙ୍କ ବ୍ୟାଙ୍କ ଖାତାରେ ୨୦୨୨ ନଭେମ୍ବର ମାସଠାରୁ ୨୦୨୫ ଏପ୍ରିଲ ମାସ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଜମା ହୋଇ ଆସୁଥିଲା। ଏହି ଅବଧିରେ ମୋଟ ୩୮,୫୫୬ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ବେଳମତୀଙ୍କ ସ୍ୱାମୀ ସୁବାଷ ମାଝି ଏହି ଟଙ୍କା ଉଠାଣ ପାଇଁ ବ୍ୟାଙ୍କକୁ ଯାଇଥିବା ବେଳେ ଶାଖା ପରିଚାଳକ ମନୋଜ କୁମାର ସ୍ୱାଇଁଙ୍କ ସନ୍ଦେହ ଯୋଗୁଁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ବେଳମତୀ ମାଝୀ ମୃତ୍ୟୁବରଣ କରିଥିବା ସତ୍ତ୍ୱେ ତାଙ୍କ ଖାତାରେ ଭତ୍ତା ଜମା ହେଉଥିଲା, ଯାହା ପ୍ରଶାସନର ଗୁରୁତର ତ୍ରୁଟିକୁ ପ୍ରମାଣ କରୁଛି। ବ୍ଲକ ପ୍ରଶାସନ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଦେପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ତଦନ୍ତ କରି ଘଟଣାର ସତ୍ୟତା ନିଶ୍ଚିତ କରିଛନ୍ତି। ବ୍ଲକ ପ୍ରଶାସନ ଏହି ଜମା ଟଙ୍କା ଫେରସ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି। ପିଇଓ ଜିତେନ୍ଦ୍ର କୁମାର ବିଭିନ୍ନ ଗଣମାଧ୍ୟମରେ କହିଛନ୍ତି, “ଏହି ଟଙ୍କା ସରକାରୀ ଖାତାକୁ ଫେରାଇ ଦିଆଯିବ।” କିନ୍ତୁ ଏହି ଘଟଣା ପ୍ରଶାସନର ଦାୟିତ୍ୱହୀନତାକୁ ସାମ୍ନାକୁ ଆଣିଛି। ବ୍ଲକ ଡେଭଲପମେଣ୍ଟ ଅଫିସର (ବିଡିଓ) ବିଜୟ କୁମାର ମାଣ୍ଡାଙ୍ଗି ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଏପରି ହେବା ଉଚିତ ନୁହେଁ। ଯଦି ଏଭଳି ଘଟିଛି, ତେବେ ନିଶ୍ଚିତ ପଦକ୍ଷେପ ନିଆଯିବ।” ସେହିପରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣୀ କ୍ଷିତିସୂତା ମେହେର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, “ଆମ ପାଖକୁ ମୃତ୍ୟୁ ସୂଚନା ପହଞ୍ଚି ନଥିବାରୁ ଏପରି ଘଟିଛି। ଏବେ ଆମେ ଖବର ପାଇଛୁ ଏବଂ ବ୍ୟାଙ୍କଠାରୁ ଟଙ୍କା ଫେରସ୍ତ କରାଯିବ।” ଏହି ଘଟଣା ପ୍ରଶାସନର ଜନ୍ମ-ମୃତ୍ୟୁ ରେକର୍ଡ ସଂଗ୍ରହ ଓ ତଦାରଖ ପ୍ରକ୍ରିୟାରେ ଗୁରୁତର ତ୍ରୁଟିକୁ ଆଲୋକପାତ କରୁଛି। ଦୁଇ ବର୍ଷରୁ ଅଧିକ ସମୟ ଧରି ମୃତ ବ୍ୟକ୍ତିଙ୍କ ଖାତାରେ ଭତ୍ତା ଜମା ହେବା ଏକ ଗମ୍ଭୀର ଅବହେଳାର ଉଦାହରଣ। ଏହା କେବଳ ସରକାରୀ ଅର୍ଥର ଅପବ୍ୟବହାର ନୁହେଁ, ବରଂ ଜାତୀୟ ସାମାଜିକ ସୁରକ୍ଷା ଯୋଜନା (ଏନ୍ ଏସ୍ ଏ ପି)ର ସ୍ଥାନୀୟ ପରିଚାଳନାରେ ଅପାରଦର୍ଶିତା ଓ ଅଦକ୍ଷତାକୁ ଦର୍ଶାଏ। ଅନଲାଇନ ତଥ୍ୟ ଅନୁସାରେ, କଲମପୁର ବ୍ଲକରେ ଏନ୍ ଏସ୍ ଏ ପି ଅଧୀନରେ ୨୯୮୧ ହିତାଧିକାରୀ ରହିଥିବା ବେଳେ, ୨୮ ଜଣଙ୍କ ଆଧାର ସଂଯୋଗ ଓ ୨୩ ଜଣଙ୍କ ଏନ୍ ଏସ୍ ଏ ପି ମ୍ୟାପିଙ୍ଗ ହୋଇନାହିଁ। ଏହା ସୂଚାଏ ଯେ ଆଧାର ଓ ବ୍ୟାଙ୍କ ଖାତା ସଂଯୋଗ ପ୍ରକ୍ରିୟାରେ ମଧ୍ୟ ଅନୁପାଲନର ଅଭାବ ରହିଛି। ଅନ୍ୟପକ୍ଷରେ, ସାମାଜିକ ସୁରକ୍ଷା ଯୋଜନାରେ ନୂଆ ହିତାଧିକାରୀଙ୍କ ଆବେଦନ ଅପେକ୍ଷାରେ ରହିଥିବା ତଥ୍ୟ ମଧ୍ୟ ପ୍ରଶାସନର ଢିଲା କାର୍ଯ୍ୟଶୈଳୀକୁ ପ୍ରମାଣ କରୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ କଳାହାଣ୍ଡି ଜିଲ୍ଲାରେ ଏମ୍ ବି ପି ୱାଇ ଯୋଜନାରେ ୧୧୯୩ ଓ ଏନ୍ ଏସ୍ ଏ ପି ରେ ୧୦୦ ଜଣ ଆବେଦନକାରୀ ଅପେକ୍ଷାରେ ଅଛନ୍ତି, ଯାହା ଆବେଦନ ପ୍ରକ୍ରିୟାର ବିଳମ୍ବକୁ ସୂଚାଏ। ଏହି ଘଟଣା ସାମାଜିକ ସୁରକ୍ଷା ଯୋଜନାରେ ସ୍ୱଚ୍ଛତା ଓ ପ୍ରତିବଦ୍ଧତାର ଆବଶ୍ୟକତାକୁ ଜୋରଦାର ଭାବେ ଉଠାଇଛି। ସାମାଜିକ ସୁରକ୍ଷା ଯୋଜନାର ଉଦ୍ଦେଶ୍ୟ ହେଉଛି ଗରିବ ଓ ବୟସ୍କଙ୍କୁ ଆର୍ଥିକ ସହାୟତା ଯୋଗାଇବା। କିନ୍ତୁ ଏଭଳି ତ୍ରୁଟି ଯୋଗୁଁ ଏହାର ଉଦ୍ଦେଶ୍ୟ ବିଫଳ ହେଉଛି। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ସଂଶୋଧନ କରି ମୃତ୍ୟୁ ରେକର୍ଡ ଅପଡେଟ ଓ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ ପାଇଁ କଡ଼ା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଶାସନକୁ ଅଧିକ ସକ୍ରିୟ ଓ ପ୍ରତିବଦ୍ଧତା ହେବା ଆବଶ୍ୟକ ରହିଛି।