
ଜୟପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ମୁଖିଗୁଡ଼ା ଗ୍ରାମପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ମଙ୍ଗଳବାର ଜୟପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ଓ ଗ୍ରାମବାସୀ ଏକ ବିଶାଳ ପ୍ରତିବାଦ ସଭା ସହ ଘେରାଓ କାର୍ଯ୍ୟକ୍ରମ କରିଛନ୍ତି। ଜୟପାଟଣା ଆଦିବାସୀ ପଡ଼ାରୁ ମାଟି ଦେବତା ମନ୍ଦିରରେ ପୂଜାର୍ଚ୍ଚନା ପରେ ଶତାଧିକ ମହିଳା ଏକ ପଦଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରି ସରକାରଙ୍କ ବିଫଳତା ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ପ୍ରତିବାଦ ସଭାରେ ଗ୍ରାମବାସୀମାନେ ମୁଖିଗୁଡ଼ା ଗ୍ରାମପଞ୍ଚାୟତରେ ଭୂମିହୀନ ପରିବାରଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନରେ ବିଳମ୍ବ, ପାନୀୟ ଜଳର ଅଭାବ, ଅନୁନ୍ନତ ରାସ୍ତାଘାଟ, ବିଧବା ଓ ବୟସ୍କଙ୍କ ଭତ୍ତା ମଞ୍ଜୁରିରେ ଅଯଥା ବିଳମ୍ବ ଆଦି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ସରକାର ବିକାଶର ବଡ଼ ବଡ଼ ଦାବି କରୁଥିବା ବେଳେ ଗ୍ରାମାଞ୍ଚଳର ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି। ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ମାଧବ ସୁନାନୀ କହିଛନ୍ତି, “ବିଜେପି ସରକାର ନିର୍ବାଚନ ପୂର୍ବରୁ ବୟସ୍କ, ବିଧବା ଓ ଅସହାୟଙ୍କୁ ୩୦୦୦ ଟଙ୍କା ଭତ୍ତା, ଚିଟଫଣ୍ଡ ଟଙ୍କା ଫେରସ୍ତ, ଓ ସୌଭାଗ୍ୟ ଯୋଜନାରେ ୧୦୦ ୟୁନିଟ୍ ମାଗଣା ବିଜୁଳି ଦେବାର ପ୍ରତିଶୃତି ଦେଇଥିଲେ। କିନ୍ତୁ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଅଧିକ ଅକ୍ଷମ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ଦେଇ ଅନ୍ୟ ହିତାଧିକାରୀଙ୍କୁ ପ୍ରତାରଣା କରାଯାଇଛି।” ସେ ଆହୁରି କହିଛନ୍ତି, “କେନ୍ଦ୍ର ସରକାର ମଧ୍ୟ ବର୍ଷକୁ ୧ କୋଟି ଚାକିରି ଓ ବିଦେଶରୁ କଳାଧନ ଆଣିବାର ପ୍ରତିଶୃତି ଦେଇ ଜନତାଙ୍କୁ ଧୋକା ଦେଇଛନ୍ତି।” ପ୍ରତିବାଦ ସଭାରେ ଉପସ୍ଥିତ ନେତାମାନେ ସରକାରଙ୍କୁ ଏହି ପ୍ରତିଶୃତି ତୁରନ୍ତ ପୂରଣ କରିବାକୁ ଦାବି କରିଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଦାବି ପୂରଣ ନ ହୁଏ, ତେବେ ଭାରତ ମୁକ୍ତି ମୋର୍ଚ୍ଚା ଜୟପାଟଣା ବ୍ଲକରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ସମଗ୍ର ରାଜ୍ୟରେ ତୀବ୍ରତର କରାଯିବ। ଏହି କାର୍ଯ୍ୟକ୍ରମରେ ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ମାଧବ ସୁନାନୀ, ଆଦିବାସୀ ନେତା ତଥା ଗତ ନିର୍ବାଚନରେ ଜୟପାଟଣା ବିଧାୟକ ପ୍ରାର୍ଥୀ ସୁରେଶ ମାଝୀ, ବହୁଜନ ମୁକ୍ତି ପାର୍ଟି ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ରାଷ୍ଟ୍ରୀୟ ମୂଳନିବାସୀ ବହୁଜନ କର୍ମଚାରୀ ସଂଘ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, କମଳାକାନ୍ତ ଖର୍ସେଲ, ଛାୟାକାନ୍ତ ବେଣୁପାଣି, ଠାକୁର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆନ୍ଦୋଳନ ମୁଖିଗୁଡ଼ା ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ମନରେ ଥିବା ଅସନ୍ତୋଷକୁ ପ୍ରତିଫଳିତ କରୁଛି ଏବଂ ସରକାରଙ୍କୁ ତାଙ୍କ ପ୍ରତିଶୃତି ପୂରଣ କରିବା ପାଇଁ ଚେତାବନୀ ଦେଇଛି।