
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ଏକ ଦୁଃଖଦ ଦୁର୍ଘଟଣାରେ ବସ ଧକ୍କାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ସିନାପାଲି ଥାନା ପଛପଟେ। ମୃତକ ଜଣଙ୍କ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ଗ୍ରାମର ପାର୍ଥବ କେତକୀ (ବୟସ ୪୦)। ପ୍ରାପ୍ତ ସୂଚନା ଅନୁସାରେ, ଗତ ମଙ୍ଗଳବାର ସନ୍ଧ୍ୟା ୭ଟା ସମୟରେ ମହାଲିଙ୍ଗର ପବନ ଅଗ୍ରୱାଲଙ୍କ ପିକ୍-ଅପ୍ ଭ୍ୟାନ (ଓଡ଼ି ୦୮ ସି ୧୦୩୪) ଏକ ଦୋକାନ ନିକଟରେ ସାମଗ୍ରୀ ଅନଲୋଡ୍ କରି ଠିଆ ହୋଇଥିଲା। ପାର୍ଥବ ଭ୍ୟାନର ପଛ ଗେଟ୍ ବନ୍ଦ କରୁଥିବା ବେଳେ ସିନାପାଲିରୁ ସମ୍ବଲପୁର ଯାଉଥିବା ବିଜୟଲକ୍ଷ୍ମୀ ବସ (ଓଡ଼ି ୦୮ଏମ୍ ୩୮୯୯) ତାଙ୍କୁ ଧକ୍କା ଦେଇଥିଲା। ବସର ଡିକି କବାଟ ତାଙ୍କ ଗଳାରେ ଲାଗିବାରୁ ଗଳା କଟି ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। କ୍ଷୁବ୍ଧ ପରିବାର ଲୋକେ କ୍ଷତିପୂରଣ ଦାବିରେ ଧୁଙ୍ଗିଆମୁଣ୍ଡା ନିକଟରେ ଶବ ରଖି ସିନାପାଲି-ଧର୍ମଗଡ଼ ସଂଯୋଗକାରୀ ବିଜୁ ଏକ୍ସପ୍ରେସୱେକୁ ଅବରୋଧ କରିଥିଲେ। ଏହା ଯୋଗୁଁ ଯାତାୟତରେ ଜନସାଧାରଣଙ୍କୁ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ବୁଝାସୁଝା କରିଥିଲା। ପରେ ସିନାପାଲି ତହସିଲଦାରଙ୍କ ମଧ୍ୟସ୍ଥତାରେ ରେଡ୍ କ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ଏବଂ ବସ ମାଲିକଙ୍କ ସହ କ୍ଷତିପୂରଣ ନେଇ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା।
ଭରତ ଦାସ, ଧର୍ମଗତ
ପୋର୍ଟାଲ ନ୍ୟୁଜ୍