
ଧର୍ମଗଡ:( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ‘ସର୍ବଶ୍ରେଷ୍ଠ ବ୍ଲକ ଅଧ୍ୟକ୍ଷ’ ଭାବେ ସମ୍ମାନୀୟ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପରେ ଆୟୋଜିତ ‘ଆମ ଗାଁ ରଜ’ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦ କନକ ନ୍ୟୁଜ୍ ଫାଉଣ୍ଡର ସୌମ୍ୟ ରଞ୍ଜନ ପଟ୍ଟନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ସେଖର ସାହୁ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ପୂର୍ବତନ ବିଧାୟକ ସୁର ରାଉତ ରାୟ ଏବଂ ଫୋକସ ପ୍ଲସ ଫାଉଣ୍ଡର ସୁଧାଂଶୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମହାନନ୍ଦ ନିଷ୍ଠା, ସେବାଭାବ ଓ କର୍ତ୍ତବ୍ୟପରାୟଣତା ଦ୍ୱାରା ସାଧାରଣ ଜନତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସରକାରୀ ଯୋଜନାର ସଫଳ ରୂପାୟନ ଏବଂ ଜନସାଧାରଣଙ୍କ ଅଭିଯୋଗର ତୁରନ୍ତ ସମାଧାନ କରି ସେ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ବ୍ଲକ ଅଧ୍ୟକ୍ଷ ଭାବେ ପରିଚିତ ହୋଇପାରିଛନ୍ତି। ନିଜର ଦକ୍ଷତା ଓ କୌଶଳ ମାଧ୍ୟମରେ ସେ ଘରେ ଘରେ ସେବା ପହଞ୍ଚାଇ ଏକ ଅନୁକରଣୀୟ ଉଦାହରଣ ସ୍ଥାପନ କରିଛନ୍ତି। ତାଙ୍କ ବାସଗୃହ ଓ କାର୍ଯ୍ୟାଳୟରେ ସ୍ଥାପିତ ଅଭିଯୋଗ ପ୍ରକୋଷ୍ଠରେ ପ୍ରତିଦିନ ଶହ ଶହ ଲୋକଙ୍କ ସମାଗମ ତାଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଓ ଆସ୍ଥାକୁ ପ୍ରତିଫଳିତ କରୁଛି। ଏହି ପୁରସ୍କାର ପ୍ରାପ୍ତି ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ସାଧାରଣ ଜନତାଙ୍କ ସହ ବିଭିନ୍ନ ମହଲରୁ ଶ୍ରୀ ମହାନନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଏହି ସଫଳତା ପାଇଁ ଆୟୋଜକ କମିଟିଙ୍କୁ ଶ୍ରୀ ମହାନନ୍ଦ ଓ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି। ଏହି ସମ୍ମାନ ଶ୍ରୀ ମହାନନ୍ଦଙ୍କ ସେବା ଓ ନିଷ୍ଠାର ଏକ ଉଜ୍ଜ୍ୱଳ ସ୍ୱୀକୃତି ଭାବେ ଗଣାଯାଉଛି।
(ଭରତ ଦାସ, ଧର୍ମଗତ)