
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବର୍ଷା ଋତୁ ଆରମ୍ଭ ସହ ଜଳବାହିତ ରୋଗ ଡାଇରିଆର ପ୍ରଭାବ ବୃଦ୍ଧି ପାଇଛି। ଅତୀତରେ ଏହି ରୋଗ ଯୋଗୁଁ ଅନେକ ଜୀବନହାନୀ ଘଟିଥିବା ବେଳେ, ଏହାର ନିରାକରଣ ପାଇଁ ସରକାର ‘ଷ୍ଟପ୍ ଡାଇରିଆ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବନ୍ଧକନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଆଶା କର୍ମୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଯୋଗ ଦେଇଥିଲେ। ଡାଇରିଆର ଚିହ୍ନଟ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଉପସ୍ଥିତ ଅଧିକାରୀମାନେ ବିସ୍ତୃତ ଆଲୋଚନା କରିଥିଲେ। ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ ଶଗଡିଆଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳା ଅପରାହ୍ନ ୨ଟାରେ ସମାପନ ହୋଇଥିଲା। କର୍ମଶାଳାରେ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ଡାକ୍ତର ଅମୁଲ୍ୟ ବେହେରା, ବି.ପି.ଏମ ପ୍ରଶାନ୍ତ ପାଢୀ, ସ୍ୱାସ୍ଥ୍ୟ ପରିଦର୍ଶକ ଧୃବ ଚରଣ ଦାସ, ଭବାନୀ ଶଙ୍କର ସୁନାନୀ ଓ ଶଶାଙ୍କ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ୧୬ ଜୁନରୁ ୩୧ ଜୁଲାଇ ପର୍ଯ୍ୟନ୍ତ ୪୫ ଦିନ ଧରି ଆଶା କର୍ମୀମାନେ ଘରେ ଘରେ ବୁଲି ସ୍ୱାସ୍ଥ୍ୟ ସମ୍ପର୍କିତ ସର୍ଭେ କରିବେ ଏବଂ ଡାଇରିଆ ନିରାକରଣ ପାଇଁ ସଚେତନତା ବୃଦ୍ଧି କରିବେ ବୋଲି ସୁଚନା ମିଳିଛି।