
ଭବାନୀପାଟଣା:( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ସମସ୍ତ ଜିଲ୍ଲାରେ ବିକାଶ ମେଳା ଆୟୋଜନ କରାଯାଉଥିବା ବେଳେ, ବିଜୁ ଜନତା ଦଳ (ବିଜେଡି) ଏହାକୁ ‘ଡବଲ ଇଞ୍ଜିନ ସରକାରର ଡବଲ ଧୋକା’ ବୋଲି ଅଭିଯୋଗ କରିଛି। ଶନିବାର କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାରର ଏକ ବର୍ଷର ବିଫଳତା ଓ ଅପାରଗତା ଉପରେ ଆଲୋଚନା କରାଯାଇଛି। ବିଜେଡି ଅଭିଯୋଗ କରିଛି ଯେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି। ମହିଳା ଓ ନାବାଳିକାମାନେ ସୁରକ୍ଷିତ ନାହାନ୍ତି, ଚୋରୀ, ଧର୍ଷଣ ଓ ଡକାୟତି ଘଟଣା ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ରାଜ୍ୟରେ ଧର୍ଷଣ ଘଟଣା ୮% ବୃଦ୍ଧି ପାଇଥିବା ବିଜେଡି ଦାବି କରିଛି। ଏହା ସହିତ, କେନ୍ଦ୍ରୀୟ ଅନୁଦାନ ୧୮% ହ୍ରାସ, ଆୟୁଷ୍ମାନ ଭାରତ ଯୋଜନାର ବିଫଳତା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅକ୍ଷମତା, ଛାତ୍ରଛାତ୍ରୀଙ୍କ ପାଇଁ ନୂଆ-ଓ ସ୍କୋଲାରସିପ ବନ୍ଦ ଏବଂ ଆଦିବାସୀ ଓ ଚାଷୀଙ୍କ ପ୍ରତି ଅନ୍ୟାୟ ଆଦି ମାଧ୍ୟମରେ ସରକାର ଜନସାଧାରଣଙ୍କୁ ଧୋକା ଦେଇଛି ବୋଲି ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଅଭିଯୋଗ କରିଛନ୍ତି। ସେହିପରି, ବରିଷ୍ଠ ବିଜେଡି ନେତା ସାରଦା ପ୍ରସନ୍ନ ସ୍ବାଇଁ କହିଛନ୍ତି ଯେ କଳାହାଣ୍ଡି ଜିଲ୍ଲାରେ ବିକାଶ ଶିଥିଳ ହୋଇଛି, ବିଭିନ୍ନ ବିଭାଗରେ ଦୁର୍ନୀତି ବୃଦ୍ଧି ପାଇଛି, ରାଜ୍ୟର ଋଣଭାର ୯୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ଏବଂ ଚିଟଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ କରିବା ପ୍ରତିଶ୍ରୁତି ଅଧାରେ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ବିଷ୍ଣୁ ପ୍ରଧାନ, ପ୍ରଦୀପ ମୁଣ୍ଡ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପ୍ରଶାନ୍ତ ନାଏକ, ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ସାମନ୍ତ ଖମାରୀ, କ୍ଷୀରସିନ୍ଧୁ ନାଏକ, ଚକ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ଘୋଷଣା କରିଛି ଯେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଗାଁ ଗାଁରେ ଜନଜାଗରଣ ଅଭିଯାନ ଆୟୋଜନ କରାଯିବ।