
ଭବାନୀପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଓଡ଼ିଶା ନନ୍ଗେଜେଟେଡ଼ ବନସେବା ସଂଘର ଦାବି ପୂରଣ ନେଇ କଳାହାଣ୍ଡି ଜିଲ୍ଲାର ବନ କର୍ମଚାରୀମାନେ ସାମୂହିକ ଛୁଟି ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ୧୫ ଜୁନରୁ ୨୨ ଜୁନ ପର୍ଯ୍ୟନ୍ତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବା ସହ ଏହି ସମୟରେ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ ଯଥା କେସ ପ୍ରୋସିକ୍ୟୁସନ୍ ବା ପେଟ୍ରୋଲିଂ କରାଯିବ ନାହିଁ ବୋଲି ସଂଘ ଘୋଷଣା କରିଛି। ଏହା ସହ ଜୁନ ୨୨ ତାରିଖରୁ ସଂଘର ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ବନ କର୍ମଚାରୀମାନେ ସାମୂହିକ ଛୁଟିରେ ରହି ସର୍କଲ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ। କଳାହାଣ୍ଡି ଜିଲ୍ଲାର ଉତ୍ତର ଓ ଦକ୍ଷିଣ ବନ ଖଣ୍ଡ ଅଧିକାରୀଙ୍କୁ ଉଦ୍ଦେଶ୍ୟ କରି ବନ କର୍ମଚାରୀମାନେ ଛୁଟି ଆବେଦନ ପତ୍ର ଦାଖଲ କରିଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଛୁଟି ସମୟରେ ଜଙ୍ଗଲ, ବନ୍ୟପ୍ରାଣୀ ବା ସରକାରୀ ସମ୍ପତ୍ତିର କୌଣସି କ୍ଷତି ବା ଅପ୍ରୀତିକର ପରିସ୍ଥିତି ପାଇଁ ଜନ ପ୍ରଶାସନ ଓ ସରକାର ଦାୟୀ ରହିବେ। ସଂଘ ପକ୍ଷରୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟ କରି ତିନି ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ବନ ବିଭାଗର ବ୍ୟବସ୍ଥା ପରିବର୍ତ୍ତନ, ଫରେଷ୍ଟ କମିଶନ ଗଠନ, ଢେଙ୍କାନାଳରେ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ହତ୍ୟା କରିଥିବା କାଠ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଭୌଗୋଳିକ ଅଞ୍ଚଳ ଓ ଜଙ୍ଗଲର ଘଞ୍ଚତା ଅନୁଯାୟୀ ରେଞ୍ଜ, ସେକ୍ସନ ଓ ବିଟ୍ର ପୁନର୍ଗଠନ ଏବଂ ମୃତ ବନ କର୍ମଚାରୀଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ଅନ୍ତର୍ଭୁକ୍ତ। ସଂଘର ରାଜ୍ୟ ଉପସଭାପତି ଭବାନୀ ଶଙ୍କର ପରିଛା କହିଛନ୍ତି, ସରକାର ଦାବି ପୂରଣ ନ କଲେ ଜୁନ ୨୨ ତାରିଖରୁ ସର୍କଲ ଅଫିସ ସମ୍ମୁଖରେ ୟୁନିଫର୍ମ ଓ କଳା ବ୍ୟାଜ ପିନ୍ଧି ଧାରଣା ଦିଆଯିବ। ଏହା ପରେ ମଧ୍ୟ ସରକାର ଉପେକ୍ଷା କଲେ, ଭୁବନେଶ୍ୱରରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ।ଭବାନୀପାଟଣା ଜୋନର ସଭାପତି ବିଶ୍ୱମୋହନ ପାଢ଼ୀ ଓ ସମ୍ପାଦକ ସୁଶୀଲ ମହାନନ୍ଦଙ୍କ ନେତୃତ୍ୱରେ ଜୋନ ଅନ୍ତର୍ଗତ ୧୧ଟି ଡିଭିଜନର ସଂଘ କର୍ମକର୍ତ୍ତାମାନେ ସାମୂହିକ ଛୁଟି ଆବେଦନ କରିଥିବା ବେଳେ, ବନ କର୍ମଚାରୀମାନେ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କୁ ଭେଟି ନିଜ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।