
ଖଣ୍ଡପଡା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ କୁମ୍ଭାରପଡା ପଞ୍ଚାୟତ ନିକଟରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କରିଥିଲେ। ଏହି କେନ୍ଦ୍ରଟି କିଛି ବର୍ଷ ବ୍ୟବହୃତ ହେବା ପରେ ଏବେ ଅଲୋଡ଼ା ହୋଇପଡିଛି। ରକ୍ଷଣାବେକ୍ଷଣ ଅଭାବ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁ କେନ୍ଦ୍ରର ଭିତର ପରିସର ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାରୁ ବିଷଧର ସରୀସୃପ ମାନଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଏପରିକି କେନ୍ଦ୍ର ଭିତରେ କୁକୁର ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ପରିସରରେ ମିଶନଶକ୍ତି ଗୃହ ନିର୍ମାଣ ହୋଇଥିବାରୁ ବିଷଧର ସରୀସୃପଙ୍କ ଭୟରେ ସେଠାକୁ ମାସିକ ବୈଠକ ପାଇଁ ମହିଳା ମାନେ ଯିବାକୁ ଉଚିତ ମନେକରୁନାହାନ୍ତି। ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ ଉକ୍ତ ପରିସର ଜଳମଗ୍ନ ହେଉଥିବା ମିଶନ ଶକ୍ତି ମହିଳା ମାନେ ମତପ୍ରକାଶ କରିଛନ୍ତି । ଏହି ବାବଦରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିବା ସାର ହୋଇଛି। ଗ୍ରାମାଞ୍ଚଳରେ ଅବସ୍ଥିତ ଉକ୍ତ କେନ୍ଦ୍ରର ଉର୍ନ୍ନତି ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଏହି ସମ୍ପର୍କରେ ସରପଞ୍ଚ ଚିନ୍ମୟ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ।