
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସମସ୍ୟା ଦୀର୍ଘ ଦିନରୁ ଚାଲିଛି। ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ କାମ ଖୋଜିବାକୁ ଯାଉଥିବା ଶ୍ରମିକଙ୍କ ମଧ୍ୟରୁ କେହି ନିର୍ଯ୍ୟାତନାର ଶିକାର ହେଉଛନ୍ତି, କେହି ଶବ ହେଇ ଫେରୁଛନ୍ତି, ଆଉ କେହି କେହି ସବୁଦିନ ପାଇଁ ନିଖୋଜ ହେଉଛନ୍ତି। ଏଭଳି ଏକ ଘଟଣାରେ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧୀନ ଡୁମେରମୁଣ୍ଡା ଭିର୍କାପଡ଼ା ଗ୍ରାମର ଜଣେ ମୁକ ଯୁବକ ପଦ୍ମନାଭ ମାଝୀ ଆନ୍ଧ୍ରପ୍ରଦେଶର ଭଦ୍ରାଚଲମ ଅଞ୍ଚଳରେ ଇଟା ଭାଟିରେ କାମ କରିବାକୁ ଯାଇ ନିଖୋଜ ହୋଇଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁସାରେ, ପଦ୍ମନାଭ ମାଝୀ ଗତ ତିନି ମାସ ତଳେ ସ୍ଥାନୀୟ କିଛି ଶ୍ରମିକଙ୍କ ସହ ଅଧିକ ରୋଜଗାର ଓ ପରିବାର ପ୍ରତିପୋଷଣ ପାଇଁ ଭଦ୍ରାଚଲମ ଯାଇଥିଲେ। ସେଠାରେ ସେ ଏକ ଇଟା ଭାଟିରେ କାମ କରୁଥିଲେ। କିନ୍ତୁ ଗତ ୧୦ ତାରିଖରେ ପଦ୍ମନାଭ ପାରିବାରିକ ସମସ୍ୟା କାରଣରୁ ଘରକୁ ଫେରିବା ପାଇଁ ସାଥୀ ଶ୍ରମିକଙ୍କୁ ଜଣାଇଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ‘ସଙ୍ଗୀତା’ ନାମକ ଏକ ଘରୋଇ ବସରେ ବସାଇ ଦେଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାର ଆମପାଣିରେ ଓହ୍ଲାଇବାକୁ କହିଥିଲେ। କିନ୍ତୁ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ପଦ୍ମନାଭ ଘରକୁ ପହଞ୍ଚି ନାହାନ୍ତି। ପଦ୍ମନାଭଙ୍କ ନିଖୋଜ ହେବା ଘଟଣା ତାଙ୍କ ପରିବାରକୁ ଆଶା ଓ ଆଶଙ୍କା ମଧ୍ୟରେ ରଖିଛି। ଆମପାଣିଠାରୁ ସିନାପାଲି ପର୍ଯ୍ୟନ୍ତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନାହିଁ। ଏନେଇ ପଦ୍ମନାଭଙ୍କ ପତ୍ନୀ ଯମୁନା ମାଝୀ କଲମପୁର ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅନ୍ୟପଟେ, ପଦ୍ମନାଭଙ୍କ ବୃଦ୍ଧ ବାପା ନିଜ ମୁକ ପୁଅର ନିଖୋଜ ହେବାରୁ ଅସହାୟ ଅବସ୍ଥାରେ ଅଛନ୍ତି। ତାଙ୍କର ଦୁଇ ନାବାଳକ ସନ୍ତାନ ବାପାଙ୍କ ଫେରିବା ବାଟକୁ ଚାହିଁ ଅପେକ୍ଷା କରିଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରି ପଦ୍ମନାଭ ସେଦିନ ସଂଗୀତା ବସରେ ଯାତ୍ରା କରିଥିଲେ କି ନାହିଁ, ତାହାର ତଦନ୍ତ ଆରମ୍ଭ କରିଛି।
ସ୍ବତନ୍ତ୍ର ସମ୍ପାଦନ: ରବୀନ୍ଦ୍ର ମିଶ୍ର, କଲମପୁର, କଳାହାଣ୍ଡି