
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କନ୍ତେରଗାଁ ମଣ୍ଡିରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ପଡ଼ି ରହିଛି। ଲଗାଣ ବର୍ଷା ଓ ଲଘୁଚାପ ଜନିତ ପାଣିପାଗ ଚାଷୀଙ୍କ ପାଇଁ ଦୁଶ୍ଚିନ୍ତାର କାରଣ ସାଜିଛି। ଗତ ଏକ ସପ୍ତାହ ଧରି ଜିଲ୍ଲାରେ ଲାଗି ରହିଥିବା ବର୍ଷା ଯୋଗୁଁ ରବି ଧାନ ଅମଳ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଚାଷୀମାନେ ରବି ଧାନ ଅମଳ ସାରି ଖରିଫ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, କିନ୍ତୁ ଅସମୟରେ ଆସିଥିବା ପ୍ରାକ୍-ମୌସୁମୀ ବର୍ଷା ସେମାନଙ୍କ ଯୋଜନାରେ ବାଧା ସୃଷ୍ଟି କରିଛି। କେତେକ ଚାଷୀ ଜମିରୁ ଧାନ ଅମଳ କରି ମଣ୍ଡିକୁ ଆଣିଥିବା ବେଳେ, ସେହି ଧାନ ବର୍ଷାରେ ଭିଜି ନଷ୍ଟ ହେଉଛି। ଅନ୍ୟ କେତେକ ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିକୁ ନେଇଥିଲେ, କିନ୍ତୁ ମଣ୍ଡିରେ ମଧ୍ୟ ଧାନ ଭିଜୁଥିବା ଦେଖାଯାଇଛି। ବର୍ଷା ଯୋଗୁଁ ଅମଳ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଥିବା ଚାଷୀମାନେ ମଧ୍ୟ ଦିଶାହାରା ହୋଇପଡ଼ିଛନ୍ତି। ମଣ୍ଡିରେ ଧାନ ଆଣି ରାତ୍ରି ଜାଗି ରହୁଥିବା ଚାଷୀମାନେ ଅନିଦ୍ରାରେ ଦିନ କାଟୁଛନ୍ତି। ଧାନ ଗଜା ହେବାରେ ଲାଗିଥିବାରୁ ସେମାନଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି। ବର୍ଷା ଯୋଗୁଁ ମଣ୍ଡିରୁ ଧାନ ଉଠାଣ ଠିକ୍ ଭାବେ ହୋଇପାରୁନାହିଁ। କେତେକ ଚାଷୀଙ୍କ ଟୋକନ ଅବଧି ସରିବାକୁ ଥିବା ବେଳେ ସେମାନେ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରି ନାହାନ୍ତି। ଏହି ସମସ୍ୟାରେ ପୀଡ଼ିତ ଚାଷୀମାନଙ୍କ ମଧ୍ୟରେ ନଟ ସତନାମୀ, କେଶବ ସତନାମୀ, ମନୋଜ ଶାଗଡ଼ିଆ, ସୁମନ୍ତ ସତନାମୀ, ନରେନ୍ଦ୍ର ସତନାମୀ, ଯରେନ୍ଦ ଭାଇଲ, ଆସେକ ଶାଗଡ଼ିଆ, ଉଦିତ ସାଗର, କୁଶ ସତନାମୀ, ରଜନୀ ସତନାମୀ ଓ ଯୁଗେଶ ସତନାମୀଙ୍କ ନାମ ଉଲ୍ଲେଖଯୋଗ୍ୟ। ଚାଷୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ମଣ୍ଡିରେ ଉପଯୁକ୍ତ ବ୍ୟବସ୍ଥା ଓ ଧାନ ଉଠାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ