ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହରର ମୁଖ୍ଯ ରାସ୍ତା ଓ ଗଳିକନ୍ଦି ରାସ୍ତା ଦିର୍ଘ ବର୍ଷ ଧରି ଗାଇ,ଷଣ୍ତ ଓ ବୁଲା କୁକୁରଙ୍କ କବଜାରେ ରହିଥିବା ଜଣାପଡିଛି।ସହରର ଗୋପାଳକମାନେ ଗାଈ ଗୋରୁଙ୍କୁ ଆଉ ଗୁହାଳରେ ବାନ୍ଧି ରଖୁନଥିବାରୁ ସହରର ରାସ୍ତାଘାଟ ଏବେ ଗୁହାଳ ପାଲଟିଥିବା ଜଣାପଡିଛି।ସେହିପରି ବୁଲା କୁକୁରଙ୍କ ଦୌରାତ୍ମ୍ୟ ମଧ୍ଯ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି।ଯେଉଁଠି ଦେଖିବ ସେଇଠି ଶହଶହ ବୁଲା କୁକୁର ସହରସାରା ବୁଲୁଛନ୍ତି।ବିଭିନ୍ନ ସମୟରେ ବୁଲା କୁକୁରଙ୍କ କାର୍ଯ୍ଯକଳାପ ସହରବାସୀଙ୍କୁ ଅତିଷ୍ଠ କରି ପକାଉଛି।ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଏ ସଂର୍ପକରେ ଅବଗତ ଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସହରବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ବଜାରରେ ପନିପରିବା କ୍ରୟ କରିବା ବେଳେ ଟିକିଏ ଅସାବଧାନ ହେଲେ ଗାଇଗୋରୁ ଓ ଷଣ୍ତ ଗୁଡିକ ପରିବା ବ୍ୟାଗ ଭିଡି ନେବା ସହ ଜନସାଧାରଣଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବାର ଅନେକ ନଜିର ରହିଛି। ଖଣ୍ଡପଡ଼ାରେ ଏକ କାଞ୍ଜିଆହୁଦା ନିର୍ମାଣ କରି ବୁଲା ଗାଇଗୋରୁଙ୍କୁ ସେଠାରେ ରଖିବା ପାଇଁଁ ସହରବାସୀ ଦିର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ହେଁ ଏନଏସି କର୍ତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଅପରପକ୍ଷେ ରାସ୍ତାରେ ଗାଇ,ଷଣ୍ତ ଓ ବୁଲା କୁକୁରଙ୍କ ରାଜ ଯୋଗୁଁ ପରିବେଶ ନଷ୍ଟ ହେବା ସହ ରାସ୍ତାସାରା ଗୋବରମୟ ହୋଇ ଉଠୁଛି।ମୁଖ୍ଯ ରାସ୍ତାଦେଇ ସହରବାସୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଗଲା ବେଳେ ନାକରେ ହାତଦେଇ ଯିବାଆସିବା କରୁଥିବା ନଜରକୁ ଆସୁଛି। ସେହିପରି ବୁଲା କୁକୁରଙ୍କର ବନ୍ଧ୍ୟାକରଣ ନିମନ୍ତେ ଖଣ୍ଡପଡ଼ା ପ୍ରାଣୀ ଚିକିତ୍ସା ବିଭାଗ କର୍ତ୍ତୃପକ୍ଷ ଓ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।ସେହିପରି ଗାଇଗୋରୁଙ୍କୁ ରାସ୍ତା ଉପରକୁ ଛାଡୁଥିବା ଗୋପାଳକ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

