କଳାହାଣ୍ଡିରେ ବିରାଟ ଗଣବିକ୍ଷୋଭ: ୟୁଜିସି ନିୟମାବଳୀ ୨୦୨୬ ଉପରୁ ସୁପ୍ରିମକୋର୍ଟର ସ୍ଥଗିତାଦେଶ ପ୍ରତ୍ୟାହାର ଓ ଇଡବ୍ଳୁଏସ ବର୍ଗକୁ ବାଦ୍ ଦେବା ଦାବି

ଭବାନୀପାଟଣା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଉଚ୍ଚଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ଓ ସମାନତା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମାବଳୀ ୨୦୨୬ ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ସ୍ଥଗିତାଦେଶ ପ୍ରତ୍ୟାହାର କରିବାକୁ ଦାବି କରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଏକ ବିରାଟ ଗଣବିକ୍ଷୋଭ ଆୟୋଜିତ ହୋଇଛି। ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟର ବିଭିନ୍ନ ସାମାଜିକ ଓ ରାଜନୀତିକ ସଂଗଠନଗୁଡ଼ିକର ମିଳିତ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ନକଟିଗୁଡା ବାବା ସାହେବ ଆମ୍ବେଦକର ଛକରୁ ଆରମ୍ଭ ହୋଇ ଘୋଡାଖାଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରେଲି ବାହାରିଥିଲା। ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ସଂଗଠନଗୁଡ଼ିକ ନିଜ ନିଜ ଲେଟରପେଡରେ ପ୍ରସ୍ତୁତ ଏହି ଦାବିପତ୍ରରେ ୟୁଜିଊ ନିୟମାବଳୀ ୨୦୨୬କୁ ସମର୍ଥନ କରିବା ସହ ଏଥିରୁ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଳୁଏସ)କୁ ବାଦ୍ ଦେବା ପାଇଁ ଜୋରଦାର ଦାବି ଉପସ୍ଥାପନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫, ୧୬, ୨୧, ୩୮ ଏବଂ ୪୬ ଅନୁଯାୟୀ ଉଚ୍ଚଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନର ସବୁଠାରୁ ଶକ୍ତିଶାଳୀ ଉପକରଣ। ଐତିହାସିକ ଭାବେ ଉପେକ୍ଷିତ ସମ୍ପ୍ରଦାୟଗୁଡ଼ିକ ପାଇଁ ଗୁଣବତ୍ତାଯୁକ୍ତ, ସୁଲଭ ଏବଂ ସମାବେଶୀ ଶିକ୍ଷା କେବଳ ନୀତିଗତ ବିଷୟ ନୁହେଁ, ବରଂ ମୌଳିକ ସାମ୍ବିଧାନିକ ଅଧିକାର ଅଟେ । ଏହି ନିୟମାବଳୀ କାର୍ଯ୍ୟକାରୀ ହେଲେ ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକରେ ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ବଢ଼ିବ, ଆରକ୍ଷଣ ନୀତିର ସୁରକ୍ଷା ମିଳିବ, ବ୍ୟାପାରିକରଣ ରୋକିବ ଏବଂ ସାମାଜିକ ନ୍ୟାୟର ଉପକରଣ ହେବ। ତେବେ, ଦାବିପତ୍ରରେ କୁହାଯାଇଛି ଯେ ଇଡବ୍ଳୁଏସ ବର୍ଗର କିଛି ବର୍ଗ ଏହି ନିୟମାବଳୀର ବିରୋଧ କରୁଛନ୍ତି, ଯାହା ସେମାନଙ୍କର ସମାନତା ବିରୋଧୀ ମନୋଭାବକୁ ପ୍ରତିଫଳିତ କରୁଛି। ତେଣୁ ଏହି ବର୍ଗକୁ ନିୟମାବଳୀର ପରିଧିରୁ ବାହାର କରି କେବଳ ଏସସି, ଏସଟି, ଓବିସି ଏବଂ ପିଡବ୍ଳୁଡି ପାଇଁ ସୀମିତ ରଖିବାକୁ ଦାବି କରାଯାଇଛି। ଏହା ସହ ଆରକ୍ଷଣ ନୀତିର କୌଣସି ଦୁର୍ବଳତା ନକରିବା, ବୃତ୍ତି, ଛାତ୍ରବାସ ଓ ଆର୍ଥିକ ସହାୟତାର ସୁରକ୍ଷା, ନିର୍ଣ୍ଣୟାତ୍ମକ ସଂସ୍ଥାରେ ଉପେକ୍ଷିତ ବର୍ଗର ପ୍ରତିନିଧିତ୍ୱ ଏବଂ ଜାତିଗତ ଭେଦଭାବର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଜୋର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଓବିସି ଏସଟି ଏସସି ବର୍ଗର ଅନେକ ପ୍ରମୁଖ ନେତା ଯୋଗ ଦେଇଥିଲେ ଏବଂ ମିଳିତ ନେତୃତ୍ୱରେ ଆନ୍ଦୋଳନ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର, ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା ରାଜ୍ୟ ସଭାପତି ମାଧବ ସୁନାନୀ, ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଂଘ ରାଷ୍ଟ୍ରୀୟ ସଭାନେତ୍ରୀ କମଳୀଣୀ ଯାଦବ,ଏଲଡିଏ ପ୍ରତିଷ୍ଠାତା ଲବ ସୁନା, ଭୀମ ଆର୍ମିର ରାଜ୍ୟ ସଭାପତି ଲଙ୍କେଶ ରାବଣ, ବିଏସପି ରାଜ୍ୟ ସମ୍ପାଦକ ଦେବୀ ଚରଣ ଭାଟି, ବିଏମପି ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ଏଓଏସସିଏଫ୍ ରାଜ୍ୟ ସଭାପତି ଧନଞ୍ଜୟ ଦୀପ, ଭୀମ ଆର୍ମିର ରାଜ୍ୟ ଉପସଭାପତି ଅନିଲ ମଲ୍ଲିକ, ମୂଳ ନିବାସୀ ବହୁଜନ ମିଳିତ ମହାସଂଘର ରାଜ୍ୟ ଉପସଭାପତି ପ୍ରଦେଶୀ ବିଶ୍ୱାସ, ଲିଙ୍ଗରାଜ ଆଜାଦ୍, ସାଧାରଣ ସଂପାଦକ ଦିଗାମ୍ବର ଦୁରିଆ, ସାବିତ୍ରୀ ବାଇ ଫୁଲେ ମହିଳା ମହାସଂଘର ଜିଲ୍ଲା ସଭାନେତ୍ରୀ ରମଣୀ ଦୁରିଆ, ଏଓଏସସିଏଫ୍ ଜିଲ୍ଲା ସଭାପତି ବୃନ୍ଦାବନ ନାଗ ଓ ଦିଗାମ୍ବର ଲୋହା, ସାମାଜବାଦୀ ପାର୍ଟିର ରାଜ୍ୟ ସଭାପତି ସିବ ହାତି, ଜିଲ୍ଲା ସଭାପତି ଜଗଦିଶ ଯାଦବ, ସିପିଆଇ ରାଜ୍ୟ ସଂଯୋଜକ ଦାମୋଦର ବେହେରା, ସଂଜୟ ସୁନାନୀ, ଜିଲ୍ଲା ଆଦିବାସୀ ସମାଜର ସଭାପତି ପ୍ରକାଶ ମାଝୀ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଜିଲ୍ଲା ସଭାପତି ଖିରସିନ୍ଧୁ ବୋଡକିଆ, ଜିଲ୍ଲା ଯାଦବ ମହାସଂଘର ସାଧାରଣ ସଂପାଦକ ଡାକେଶ୍ୱର ଲହଜଲ, ଏଓଏସସିଏଫ୍ ମହା ସଚିବ ଜତିନ୍ଦ୍ର କର, ଏପିଆଇ ସାଧାରଣ ସଂପାଦକ ଛବିଲାଲ ନିଆଲ,ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଜିଲ୍ଲା ସଭାପତି ସଂଜୟ ଶବର,ଭୀମ ଆର୍ମିର ଜିଲ୍ଲା ସଭାପତି ରଜନୀକାନ୍ତ ସମରଲିଆ, ରାଜ୍ୟ ସମ୍ପାଦକ ଜଗଜୀବନ କୁମାର, ବ୍ରାସର ସଭାପତି ସୁରେଶ ମହାନନ୍ଦ, ଆ୍ଏମବିକେଏସ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ ପ୍ରମୁଖ। ଏହା ସହ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅନେକ ବହୁଜନ ସଂଗଠନ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।ଏହି ବିକ୍ଷୋଭ ମାଧ୍ୟମରେ କଳାହାଣ୍ଡିର ଉପେକ୍ଷିତ ସମ୍ପ୍ରଦାୟଗୁଡ଼ିକ ସାମ୍ବିଧାନିକ ଅଧିକାର ଓ ସାମାଜିକ ନ୍ୟାୟର ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହି ଦାବିପତ୍ର ଦ୍ୱାରା ସରକାର ଓ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିବାକୁ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!