ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଶ୍ବର ସର୍ବଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଥିବା ଖଣ୍ଡପଡ଼ା ମାଟିର ସୁଯୋଗ୍ଯ ସନ୍ତାନ ପ୍ରଫେସର ପ୍ରଦ୍ୟୁମ୍ନ କୁମାର ସାହୁଙ୍କୁ ଖଣ୍ଡପଡ଼ା ପୂର୍ତ୍ତବିଭାଗ ବଙ୍ଗଳା ପରିସରରେ ସାମ୍ବାଦିକମାନଙ୍କ ପକ୍ଷରୁ ରବିବାର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏ ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶ୍ରୀ ସାହୁ ଯୋଗଦେଇ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ କର୍ତ୍ତବ୍ଯରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପରେ ବରିଷ୍ଠ ସାମ୍ବାଦିକ ଭବାନୀଶଙ୍କର ସିଂହ ସାମନ୍ତ ବୈଜ୍ଞାନିକ ଶ୍ରୀ ସାହୁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପ୍ରକାଶଥାଉକି ବିଶ୍ବର କାଲିଫର୍ଣ୍ଣିଆସ୍ଥିତ ଷ୍ଟାନଫୋର୍ଡ ବିଶ୍ବ ବିଦ୍ୟାଳୟର ଏକ ଗବେଷଣା ସଂସ୍ଥା ପକ୍ଷରୁ ପରମାଣୁ ଓ କଣିକା ପଦାର୍ଥ ବିଜ୍ଞାନ ଉପରେ ସର୍ଭେକ୍ଷଣ କରାଯାଇଥିଲା। ଏଥିରେ ବିଶ୍ଵର ସର୍ବଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ବୈଜ୍ଞାନିକ ପ୍ରଫେସର ଶ୍ରୀ ସାହୁଙ୍କ ନାମ ସ୍ଥାନିତ ହୋଇଥିଲା।ଖାଲି ସେତିକି ନୁହେଁ ଲଗାତାର ୬ ବର୍ଷ ଧରି ବୈଜ୍ଞାନିକ ଶ୍ରୀ ସାହୁ ଏହି ବିରଳ ସମ୍ମାନର ଅଧିକାରୀ ହୋଇପାରି ଅଞ୍ଚଳବାସୀଙ୍କ ପାଇଁ ଗୌରବ ଆଣିଥିବାରୁ ସାମ୍ବାଦିକମାନେ ଏ ପରିପ୍ରେକ୍ଷୀରେ ତାଙ୍କୁ କୃତଜ୍ଞତା ଜଣାଇଥିଲେ।ବୈଜ୍ଞାନିକ ଶ୍ରୀ ସାହୁଙ୍କ ଘର ଖଣ୍ଡପଡ଼ା ବ୍ଲକର ଜଗନ୍ନାଥପ୍ରସାଦ ପଞ୍ଚାୟତ ଅଧିନ କୁହାରା ଗ୍ରାମରେ ହୋଇଥିବା ବେଳେ ଏବେ ସେ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦସ୍ଥିତ ବିର୍ଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ତ ସାଇନ୍ସିରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

