
Oplus_131072
ଜୟପାଟଣା, କଳାହାଣ୍ଡି: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ବାସିନ୍ଦା ବେଣୁପାଣି ଦୁର୍ଗାଙ୍କୁ ନୂଆପଡ଼ା ଏବଂ ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏକ ଦୃଢ଼ ସଂଗଠକ, ପ୍ରବୀଣ ପ୍ରବକ୍ତା ଏବଂ କ୍ରାନ୍ତିକାରୀ ଯୁବ ନେତା ଭାବେ କଳାହାଣ୍ଡିରେ ସୁପରିଚିତ ଶ୍ରୀ ଦୁର୍ଗାଙ୍କ ଏହି ନିଯୁକ୍ତି ଓଡ଼ିଶାରେ ଯୁବ କଂଗ୍ରେସର ଉପସ୍ଥିତିକୁ ସୁଦୃଢ଼ କରିବା ସହ ଯୁବ ନେତୃତ୍ୱକୁ ଆଗେଇ ନେବାରେ ଏକ ମୁଖ୍ୟ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଶ୍ରୀ ଦୁର୍ଗା ଏହି ଦାୟିତ୍ୱ ପାଇଁ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ରାଜ୍ୟ ପ୍ରଭାରୀ ମହେଶ ଦେଶମୁଖ, ଜାତୀୟ ପ୍ରଭାରୀ କୃଷ୍ଣ ଆଲ୍ଲାଭାରୁ ଏବଂ ଜାତୀୟ ସଭାପତି ଉଦୟ ଭାନୁ ଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇ ମୁଁ ଗଭୀର ଭାବେ ସମ୍ମାନିତ। ଏହି ସମର୍ଥନ ସହ ମୁଁ ଯୁବପିଢ଼ି ଓ ସମାଜର ଉନ୍ନତି ପାଇଁ କାମ କରିବାକୁ ପ୍ରତିଜ୍ଞାବଦ୍ଧ।” ଏହାପୂର୍ବରୁ ଶ୍ରୀ ଦୁର୍ଗା ଧର୍ମଗଡ଼ ପଞ୍ଚାୟତ କଲେଜ ଛାତ୍ର ସଂଘର ସଭାପତି, କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଓ ପ୍ରବକ୍ତା ଭାବେ ଦାୟିତ୍ୱ ନିର୍ବାହ କରି ସୁନାମ ଅର୍ଜନ କରିଛନ୍ତି। ସେ ସର୍ବଦା ଚାଷୀ ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ସେ ଯୁବକମାନଙ୍କୁ କଂଗ୍ରେସ ଆଦର୍ଶ ପ୍ରତି ଆକୃଷ୍ଟ କରିବା ସହ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନିଯୁକ୍ତି ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀ ଓ ତାଙ୍କ ସମର୍ଥକମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଜୟପାଟଣା ଅଞ୍ଚଳରେ ଏକ ଆନନ୍ଦର ପରିବେଶ ଦେଖାଦେଇଛି। ଶ୍ରୀ ଦୁର୍ଗା ତାଙ୍କୁ ସହଯୋଗ କରିଥିବା ଯୁବ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇବା ସହ କଂଗ୍ରେସ ନେତୃବୃନ୍ଦଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ଯୁବ କଂଗ୍ରେସକୁ ସଂଗଠିତ କରିବା ଏବଂ ଯୁବକମାନଙ୍କ ମଧ୍ୟରେ ଦଳୀୟ ଆଦର୍ଶକୁ ପ୍ରଚାର କରିବା ପାଇଁ ଶ୍ରୀ ଦୁର୍ଗାଙ୍କ ଏହି ନୂଆ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଆଗାମୀ ଦିନରେ ସେ ଏହି ଦୁଇ ଜିଲ୍ଲା ସହ ଓଡ଼ିଶାର ଯୁବକମାନଙ୍କ ନ୍ୟାୟପୂର୍ଣ୍ଣ ଦାବି ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ସେ ପ୍ରତିକ୍ରିୟାରେ ଜଣାଇଛନ୍ତି।