ମୂଳନିବାସୀ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ କେଶବ ଗୌଡ଼ଙ୍କ ୧୦ମ ସ୍ମୃତି ଦିବସ ପାଳିତ

ଭବାନୀପାଟଣା (ସତ୍ୟଯୁଗ ମେଡିଆ ଏକ ନୂଆଁ ଦିଗନ୍ତ ସତ୍ୟ ଓ ନ୍ୟାୟ ପାଇଁ) କଳାହାଣ୍ଡି ଜିଲ୍ଲା BAMCEF କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ପୂର୍ବତନ ପୂର୍ଣ୍ଣକାଳୀନ ପ୍ରଚାରକ ଶ୍ରୀ କେଶବ ଗୌଡ଼ଙ୍କ ଦଶମ ସ୍ମୃତି ଦିବସ ଭାବଗମ୍ଭୀର ପରିବେଶରେ ପାଳନ କରାଯାଇଛି। ତା- ୮ ଜୁନ ୧୯୮୦ ମସିହାରେ କଳାହାଣ୍ଡି ଜିଲ୍ଲାର ସଦର ବ୍ଲକର ଏକ ଅନୁନ୍ନତ ଗ୍ରାମର ଓବିସି ପରିବାରରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ କେଶବ ଗୌଡ଼। ଗରିବୀର କଠୋର ପରିବେଶରେ ବଢ଼ିଥିବା ସତ୍ୱେ ନିଜ ପରିବାର, ପୁତ୍ର ଓ ପତ୍ନୀଙ୍କୁ ପଛରେ ପକାଇ ସମାଜ ପରିବର୍ତ୍ତନର ମହାନ ଲକ୍ଷ୍ୟ ପାଇଁ ସମ୍ପୂର୍ଣ୍ଣ ଜୀବନ ସମର୍ପିତ କରିଥିଲେ। ଓଡ଼ିଶା BAMCEFର ମାଧ୍ୟମରେ ସାମାଜିକ, ଆର୍ଥିକ ଓ ରାଜନୈତିକ ବ୍ୟବସ୍ଥାର ମୌଳିକ ପରିବର୍ତ୍ତନ ଦିଗରେ ସେ ନିରନ୍ତର କାର୍ଯ୍ୟ କରୁଥିଲେ। ତାଙ୍କର କାର୍ଯ୍ୟଦକ୍ଷତା, ତ୍ୟାଗ ଓ ନିଃସ୍ୱାର୍ଥପର ସମର୍ପଣ ବହୁଜନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିରପେକ୍ଷ, ନିର୍ଭୀକ ଏବଂ ତର୍କସଙ୍ଗତ ଚିନ୍ତାଧାରାର ଧାରକ ଶ୍ରୀ ଗୌଡ଼ ସମାଧାନମୂଳକ ଆନ୍ଦୋଳନର ଏକ ଉଜ୍ଜ୍ୱଳ ଉଦାହରଣ ଥିଲେ। ଅଚାନକ ମ୍ୟାଲେରିଆ ଆକ୍ରାନ୍ତ ହୋଇ ୧୫ ଅଗଷ୍ଟ ୨୦୧୬ ମସିହାରେ ତାଙ୍କର ଦେହାନ୍ତ ଘଟିଥିଲା। ତଥାପି ତାଙ୍କର ଆଦର୍ଶ ଓ ସଂଗ୍ରାମ ଆଜି ମଧ୍ୟ ବହୁଜନ ସମାଜକୁ ପ୍ରେରଣା ପ୍ରଦାନ କରିଚାଲିଛି। ଉକ୍ତ ସ୍ମୃତି ସଭାରେ କଳାହାଣ୍ଡି ଜିଲ୍ଲା BAMCEF ସଭାପତି କମଳାକାନ୍ତ ଖର୍ସେଲ, ବହୁଜନ ମୁକ୍ତି ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା ରାଜ୍ୟ ସଭାପତି ମାଧବ ସୁନାନୀ, BAMCEF ଓଡ଼ିଶା ରାଜ୍ୟ କାର୍ଯ୍ୟକାରୀ ସଭାପତି ଡମ୍ବରୁଧର ମାଝୀ , ରାଜ୍ୟ କୋଷାଧ୍ୟକ୍ଷ ଧର୍ମେନ୍ଦ୍ର ତାଣ୍ଡି, ଅହିଧ୍ବଜ ନାଗ ସହ ଅନେକ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀ ଗୌଡ଼ଙ୍କ ସ୍ମୃତିକୁ ସମ୍ମାନ ଜଣାଇ ତାଙ୍କ ଆଦର୍ଶକୁ ଜୀବନ୍ତ ରଖିବାର ପ୍ରତିଶ୍ରୁତି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!