ସ୍ମାର୍ଟ ମିଟର ବନ୍ଦ, ଗ୍ୟାସ୍-ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ଭବାନୀପାଟଣା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ୧୨/୦୫/୨୦୨୬ କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ନୀତି ଓ ଜନବିରୋଧୀ ପଦକ୍ଷେପ ବିରୋଧରେ ବହୁଜନ ମୁକ୍ତି ପାର୍ଟି ଦେଶବ୍ୟାପୀ ତୀବ୍ର ଆନ୍ଦୋଳନ ଆରମ୍ଭ କରିଛି। ଏହି କ୍ରମରେ ଦେଶର ୬୨୫ଟି ଜିଲ୍ଲାରେ ତିନି ପର୍ଯ୍ୟାୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଉଛି । କଳାହାଣ୍ଡି ଜିଲ୍ଲାରେ ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ଗଙ୍ଗାଧର ଜାଲଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆନ୍ଦୋଳନକାରୀମାନେ ସ୍ମାର୍ଟ ମିଟର ବନ୍ଦ, ଘରୋଇ ଓ ବାଣିଜ୍ୟିକ ଗ୍ୟାସ୍ ମୂଲ୍ୟ ହ୍ରାସ ଏବଂ ପେଟ୍ରୋଲ-ଡିଜେଲ ଦର କମାଇବା ଦାବିରେ ଗଣବିକ୍ଷୋଭ ଡାକରା ଦେଇଥିଲେ। ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନୀତି ଯୋଗୁଁ ଦେଶରେ ମୁଦ୍ରାସ୍ଫୀତି ଓ ବେକାରୀ ଭୟାବହ ରୂପ ଧାରଣ କରୁଛି। ସ୍ମାର୍ଟ ମିଟର ଲଗାଇ ସାଧାରଣ ଗ୍ରାହକଙ୍କୁ ଅତ୍ୟଧିକ ବିଦ୍ୟୁତ୍ ବିଲ୍ ଦେବାକୁ ବାଧ୍ୟ କରାଯାଉଛି। ବିଦ୍ୟୁତ୍ ଯୋଗାଣ ନଥିବା ସତ୍ତ୍ୱେ ମଧ୍ୟ ଅତିରିକ୍ତ ବିଲ୍ ଲାଗୁ ହେଉଛି ବୋଲି ସେମାନେ କହିଛନ୍ତି। ଏହା ଏକ ପ୍ରକାରର ଆର୍ଥିକ ଠକେଇ ବୋଲି ଅଭିଯୋଗ କରି ସ୍ମାର୍ଟ ମିଟର ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବା ଏବଂ ଅନୁମୋଦନ କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେହିପରି ଘରୋଇ ଗ୍ୟାସ୍ ସିଲିଣ୍ଡର (୧୪.୨ କି.ଗ୍ରା.) କୁ ₹୪୦୦ ଏବଂ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର (୧୯ କି.ଗ୍ରା.) କୁ ₹୭୦୦ ମଧ୍ୟରେ ଉପଲବ୍ଧ କରାଇବାକୁ ସରକାରଙ୍କୁ ଦାବି ଜଣାଇଛନ୍ତି। ଗ୍ୟାସ୍ କଳାବଜାରୀ ବନ୍ଦ କରି ଦୋଷୀ ଏଜେଣ୍ଟ ଓ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରାଯାଇଛି । ବାଣିଜ୍ୟିକ ଗ୍ୟାସ୍ ଅଭାବ ଓ ମୂଲ୍ୟବୃଦ୍ଧି ଯୋଗୁଁ ଅନେକ ହୋଟେଲ, ଢାବା ଓ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଥିବା ଏବଂ ସେଠାରେ କର୍ମରତ ଶ୍ରମିକମାନେ ବେକାର ହୋଇପଡ଼ିଥିବାରୁ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଶେଷରେ ଆନ୍ଦୋଳନକାରୀମାନେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଜନସାଧାରଣଙ୍କ ସମସ୍ୟାର ଶୀଘ୍ର ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର ଓ ବ୍ୟାପକ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ବହୁଜନ ମୁକ୍ତି ପାର୍ଟି ରାଜ୍ୟ ପ୍ରଭାରୀ ଡମ୍ବରୁଧର ମାଝୀ, ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡା ମାଝୀ, ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ମାଧବ ସୁନାନୀ, କଳିମ୍ ଖାଁ, ଠାକୁର ମଙ୍ଗରାଜ, ଅଜୟ ବାସନିକ, ମଧୁ ନାୟକ,ସରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
