ଭୁବନେଶ୍ୱରରେ ବିଶାଳ ରେଲି ଓ ଗଣଆନ୍ଦୋଳନ: ଶିକ୍ଷା ବ୍ୟବସ୍ଥାର ସମସ୍ୟା ବିରୋଧରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚାର ଦାବିପତ୍ର ପ୍ରଦାନ

ଭୁବନେଶ୍ୱର, ୨୧ ସେପ୍ଟେମ୍ବର ୨୦୨୬ (ସତ୍ୟ ଯୁଗ ମିଡ଼ିଆ, ଏକ ନୂଆଁ ଦିଗନ୍ତ ସତ୍ୟ ଓ ନ୍ୟାୟ ପାଇଁ) ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିଠାରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚା ଓ ଭାରତ ମୁକ୍ତି ମୋର୍ଚାର ସମର୍ଥନରେ ଏକ ବିଶାଳ ରେଲି ଓ ଗଣଆନ୍ଦୋଳନ ଆୟୋଜନ କରିଛି। ଏହି ବିଶାଳ ରେଲି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ଓଡ଼ିଶାର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରାୟ ୯୦,୦୦୦ରୁ ଅଧିକ ଖାଲି ପଡ଼ିଥିବା ଶିକ୍ଷକ ପଦବୀକୁ ତତ୍କାଳ ପୂରଣ କରିବାକୁ ଦାବି କରାଯାଇଛି। ଏହା ସହିତ ଏସଏସଡି ସ୍କୁଲଗୁଡ଼ିକୁ ଅପଗ୍ରେଡ୍ କରି କଲେଜରେ ପରିଣତ କରାଯାଇଥିବା ବେଳେ ସେମାନଙ୍କ ଭିତ୍ତିଭୂମିର କୌଣସି ବିକାଶ ହୋଇନଥିବାରୁ ଛାତ୍ରଛାତ୍ରୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଥିବା ଉଲ୍ଲେଖ କରାଯାଇଛି। ସେମାନଙ୍କ ପାଇଁ ଡେସ୍କ-ବେଞ୍ଚ ନାହିଁ, ହୋଷ୍ଟେଲ ସୁବିଧା ନାହିଁ ଏବଂ ରହିବାର ବ୍ୟବସ୍ଥା କରାଯାଇନାହିଁ। ଏହି ସମସ୍ତ ଅସୁବିଧାର ତୁରନ୍ତ ସମାଧାନ କରି ଭିତ୍ତିଭୂମି ବିକାଶ ଓ ଆବାସ ସୁବିଧା ପ୍ରଦାନ କରିବାକୁ ଦାବି କରାଯାଇଛି। ଅନାବଶ୍ୟକ ଭାବେ ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ମୁଦ୍ରଣ କରାଯାଉଥିବା ବିଷୟକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ଏହା ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି। ତେଣୁ ନୂତନ ପାଠ୍ୟପୁସ୍ତକ ପ୍ରଦାନ କରିବା ସହିତ ଶିକ୍ଷାମନ୍ତ୍ରୀଙ୍କୁ ପଦଚ୍ୟୁତ କରିବାକୁ ଦାବି କରାଯାଇଛି। ମଣ୍ଡଲ କମିଶନର ସୁପାରିଶ ଅନୁସାରେ ଓବିସି ଛାତ୍ରଛାତ୍ରୀଙ୍କୁ ୨୭ ଶତାଂଶ ସଂରକ୍ଷଣ ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି। ଇଡବ୍ଲୁଏସ୍ ଲାଗୁ ହେବା ପରେ ୫୦ ଶତାଂଶ ସୀମା ଅତିକ୍ରମ ହୋଇଥିବାରୁ ମଣ୍ଡଲ କମିଶନ ଆଧାରରେ ଶିକ୍ଷା ଓ ଚାକିରିରେ ଓବିସିଙ୍କୁ ୨୭ ଶତାଂଶ ସଂରକ୍ଷଣ ଦେବା ଆବଶ୍ୟକ ବୋଲି କୁହାଯାଇଛି । ଛାତ୍ରଛାତ୍ରୀଙ୍କ ବକେୟା ଷ୍ଟାଇପେଣ୍ଡ ସମୟରେ ପ୍ରଦାନ କରାଯାଉନଥିବା, ହୋଷ୍ଟେଲ ସୁବିଧା ନଥିବା, ହୋଷ୍ଟେଲରେ ପରିଷ୍କାର-ପରିଚ୍ଛନ୍ନତା ନଥିବା ଏବଂ ଜାତିଗତ ଭେଦଭାବ ହେଉଥିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏସସି, ଏସଟି ଓ ଓବିସି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ୟୁଜିସି ରେଗୁଲେସନ୍ ବିଲ୍‌କୁ କଠୋର ଭାବେ ଲାଗୁ କରିବାକୁ ଦାବି କରାଯାଇଛି। କଲେଜଗୁଡ଼ିକରେ ଖାଲି ପଡ଼ିଥିବା ପ୍ରଫେସର ପଦବୀ ପୂରଣ କରିବା ଏବଂ ସରକାର ଦ୍ୱାରା ନିୟମିତୀକରଣର ପ୍ରତିଶ୍ରୁତି ଦିଆଯାଇଥିବା ଜୁନିୟର ଟିଚରମାନଙ୍କୁ ତତ୍କାଳ ନିୟମିତ କରିବାକୁ ମଧ୍ୟ ଦାବି କରାଯାଇଛି। ବର୍ତ୍ତମାନ ଜୁନିୟର ଟିଚରମାନେ ମାସାଧିକ କାଳ ଧରି ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି। ଏହି ଦଶଟି ମୁଖ୍ୟ ଦାବି ନେଇ ୨୧ ସେପ୍ଟେମ୍ବର ୨୦୨୬ରେ ବିଧାନସଭା ସମ୍ମୁଖରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚା ବିଶାଳ ରେଲି କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲା। ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ସିଂ,ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ମାଧବ ସୁନାନୀ,ଭାରତୀୟ ଯୁବା ମୋର୍ଚ୍ଚା ରାଜ୍ୟ ସଭାପତି ଆକାଶ ନାଏକ,ଭାରତୀୟ ବେରୋଜଗାର ମୋର୍ଚ୍ଚା ରାଜ୍ୟ ସଭାପତି ପିଣ୍ଟୁ ଦାସ,ରାଷ୍ଟ୍ରୀୟ ଆଦିବାସୀ ଛାତ୍ର ସଂଘ ରାଜ୍ୟ ସଭାପତି ରତନ କୁମାର ପୁର୍ତ୍ତି,ବହୁଜନ ମୁକ୍ତି ପାର୍ଟି ରାଜ୍ୟ ସଭାପତି ଗଙ୍ଗାଧର ଜାଲ,ସୋସିଆଲ ମିଡ଼ିଆ ଇନ୍ ଚାର୍ଜ ନାରାୟଣ ମୁଣ୍ଡା,ରାଷ୍ଟ୍ରୀୟ ବେରୋଜଗାର ମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ବଜିତ ପ୍ରଧାନ,ରାଷ୍ଟ୍ରୀୟ ଆଦିବାସୀ ଛାତ୍ର ସଂଘ ରାଜ୍ୟ ଉପସଭାପତି ଶଙ୍କର ଓରାମ୍ ତିର୍କି,ଭାରତୀୟ ବିଦ୍ୟାର୍ଥୀ ଛାତ୍ର ପ୍ରକୋଷ୍ଠ ରାଜ୍ୟ ଉପସଭାପତି ଲକ୍ଷ୍ମୀ ପ୍ରିୟା ନାଏକ, ମୋନାଲିସା ନାଏକ, ଯୋତିର୍ମୟି ବିଭାର, ତୁଲସି ତିଉ, ସ୍ନେହା ଆଢ୍ୟା,ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୂଆଦିଲ୍ଲୀ,ସୋମ୍ୟରଞ୍ଜନ ଆଢ୍ୟା,ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ ଉପସଭାପତି କୃଷ୍ଣଚନ୍ଦ୍ର ନାୟକ,ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଶିଲ ସାହୁ,ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ରାଜ୍ୟ ସଭାପତି ଡି ବି ହୃଦୟ,ବହୁଜନ ମୁକ୍ତି ପାର୍ଟି ରାଜ୍ୟ କାର୍ଯ୍ୟକାରୀ ସଭାପତି ପଲ୍ଳଭ ଲିମା,ଓଡ଼ିଶା ରାଜ୍ୟ ପ୍ରଭାରୀ ରାଜୁ କେଦାରେ,ବହୁଜନ ମୁକ୍ତି ପାର୍ଟି ରାଜ୍ୟ ସଂଯୋଜିକା ଶାନ୍ତିଲତା ଚାତାର, ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ ଉପସଭାପତି ସାଧୁ ଚରଣ ମଲ୍ଲିକ ଏବଂ ବିଭିନ୍ନ ଶାଖା ସଂଗଠନ ଓ ଶାଖାର ଅନେକ ରାଜ୍ୟ ସଭାପତି ଉପସ୍ଥିତ ଥିଲେ ଏବଂ ଦୃଢ଼ ସମର୍ଥନ ପ୍ରକାଶ କରିଥିଲେ। ସେମାନେ ସ୍ପଷ୍ଟ କରିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାର ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଏବଂ ଏସସି, ଏସଟି ଓ ଓବିସିଙ୍କୁ ଚାକିରିରେ ପ୍ରତିଶ୍ରୁତ ସଂରକ୍ଷଣ ପ୍ରଦାନ ନ କରାଗଲେ ଆଗାମୀ ଦିନରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚା ଓ ଭାରତ ମୁକ୍ତି ମୋର୍ଚା ଆହୁରି ବୃହତ୍ତର ଆନ୍ଦୋଳନ ଆରମ୍ଭ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!