ଓବିସି ଜାତି ଜନଗଣନା ଓ ସମାନୁପାତିକ ପ୍ରତିନିଧିତ୍ୱ ଦାବିରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଭବାନୀପାଟଣା (ସତ୍ୟଯୁଗ ମେଡିଆ ଏକ ନୂଆଁ ଦିଗନ୍ତ ସତ୍ୟ ଓ ନ୍ୟାୟ ପାଇଁ) ଓଡ଼ିଶା ସହିତ ସମଗ୍ର ଦେଶରେ ଓବିସି ସମ୍ପ୍ରଦାୟଙ୍କ ଜାତି ଜନଗଣନା ଓ ସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ଜାତୀୟ ସ୍ତରରେ ଚାଲିଥିବା ଚାରି ଚରଣ ଅନ୍ତର୍ଗତ ଆଜି ଚତୁର୍ଥ ଚରଣରେ କଳାହାଣ୍ଡିରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଭିନ୍ନ ସଙ୍ଗଠନର ନେତା ଓ କର୍ମକର୍ତ୍ତାମାନେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୈତାରୀ ଦୀପଙ୍କ ହସ୍ତରେ ପ୍ରଦାନ କରିଛନ୍ତି ।ସ୍ମାରକପତ୍ରରେ ମୁଖ୍ୟତଃ ଓବିସିଙ୍କ ଜାତି ଜନଗଣନା, ସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ, ଓଡ଼ିଶାରେ ମଣ୍ଡଳ କମିଶନ ସୁପାରିଶ ଲାଗୁ, ଓଡ଼ିଶା ପଛୁଆବର୍ଗ କମିଶନଙ୍କ ଜନଗଣନା ରିପୋର୍ଟକୁ ସାର୍ବଜନୀନ କରିବା, ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ରାଜନୈତିକ ଆରକ୍ଷଣ ଏବଂ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଖାଲି ପଡ଼ିଥିବା ଆରକ୍ଷିତ ପଦବୀର ତୁରନ୍ତ ପୂରଣ ଇତ୍ୟାଦି ଦାବି ଉଠାଯାଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୂଳ ନିବାସୀ ବହୁଜନ କର୍ମଚାରୀ ସଂଘ ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ଚନ୍ଦନ, ବହୁଜନ ମୁକ୍ତି ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ରାଷ୍ଟ୍ରୀୟ ମୂଳନୀବାସୀ ବହୁଜନ କର୍ମଚାରୀ ସଂଘ ଓଡ଼ିଶା ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ବାମସେଫ୍ କଳାହାଣ୍ଡି ଜିଲ୍ଲା ସଭାପତି କମଳାକାନ୍ତ ଖର୍ସେଲ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କଳାହାଣ୍ଡି ଜିଲ୍ଲା ସଭାପତି ସଂଜୟ ଶବର, ବହୁଜନ ମୁକ୍ତି ପାର୍ଟି ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ଧଙ୍ଗଡା ମାଝୀ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସମ୍ପାଦକ ଅହିଧ୍ୱଜ ନାଗ, ଜିଲ୍ଲା ସଦସ୍ୟ ଜିତେନ୍ଦ୍ର ଚଳାନ, ପୂର୍ବତନ ବରିଷ୍ଠ କର୍ମକର୍ତ୍ତା କିର୍ତ୍ତିଚନ୍ଦ୍ର ଗୌଡ଼, ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚାର ପୂର୍ବତନ ସଦସ୍ୟ କଳିମୁଲ୍ଲା ଖାଁ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ନାଏକ ସମେତ ଅନେକ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଉପସ୍ଥିତ ନେତୃବୃନ୍ଦ କହିଛନ୍ତି ଯେ ଓବିସି ସମ୍ପ୍ରଦାୟର ବାସ୍ତବ ସଂଖ୍ୟା ଓ ଅନୁପାତ ଜାଣିବା ପାଇଁ ଜାତି ଜନଗଣନା ଅତ୍ୟାବଶ୍ୟକ। ଏହା ସହିତ ସମାନୁପାତିକ ପ୍ରତିନିଧିତ୍ୱ, ମଣ୍ଡଳ କମିଶନ ସୁପାରିଶର ପୂର୍ଣ୍ଣ କାର୍ଯ୍ୟକାରିତା ଏବଂ ଖାଲି ପଦବୀର ତୁରନ୍ତ ପୂରଣ ହେଲେ ହିଁ ସାମାଜିକ ନ୍ୟାୟ ସୁନିଶ୍ଚିତ ହୋଇପାରିବ ବୋଲି ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!