
Oplus_131072
କୋକସରା, କୋକସରା ବ୍ଳକ ଆମପାଣି ଗୋନ୍ତିଆପଡା ନିକଟରେ ବୁଧବାର ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ଆମପାଣି ଗ୍ରାମର ଗିରିଧାରୀ ମାଝୀ(୨୩)। ସୂଚନା ଅନୁସାରେ, ଗିରିଧାରୀ ମୋରମ ଲୋଡ କରିବା ପାଇ ଟ୍ରାକ୍ଟର ନେଇ ଯାଉଥିବା ସମୟରେ ଗୋନ୍ତିଆପଡା ସ୍ଥିତ ପୋଖରୀ ନିକଟରେ ଗାଡ଼ି ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ତଲେ ଚାପି ହୋଇ ଘଟଣା ସ୍ଥଳରେ ହିଁ ଗିରିଧାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପରିବାର ଲୋକେ ସେଠାରେ ପହଞ୍ଚି ଆମପାଣି ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ହେବାପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ପ୍ରକାଶ ଯେ’ ମୃତ ଡ୍ରାଇଭରଙ୍କ ସ୍ତ୍ରୀ, ଦୁଇ ବର୍ଷର ଏକ ଶିଶୁପୁତ୍ର, ଭଉଣୀ ଓ ବିଧବା ମା’ ରହିଛନ୍ତି। ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀରେ ହୋଇଥିବାବେଳେ ଏକମାତ୍ର ରୋଜଗାରକ୍ଷମ ଗିରିଧାରୀଙ୍କ ମୃତ୍ୟୁ ପରେ ପରିବାରରେ ପୁରୁଷ ଶୂନ୍ୟ ହୋଇଯାଇଛି। ଫଳରେ ପୁରା ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ଏନେଇ ଆମପାଣି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।